ତୁମେ ଆସିଲା ପରେ -୧୫
ବାହାରେ କ୍ୱିଲନ ସମୁଦ୍ରକୂଳକୁ ମୁହଁ କରି ପ୍ୟାଣ୍ଟ୍ ପକେଟ୍ ରେ ହାତ ରଖି ଛିଡ଼ା ହେଇଛି। ମୁଁ ଠିକ୍ ସମୟରେ ଆସିଛି। ମୁଁ ଧୀରେ ଧୀରେ ଯାଇ ତା ' ପାଖରେ ଠିଆ ହୁଏ। କ୍ଵିଲନ ଯେମିତି ତା ଚାରିପାଖର ପବନ ମଧ୍ୟ ସେତିକି ଗଭୀର ଓ ଅମାପ। ମୋ ଆଡ଼କୁ ମୁହାଁ ନ ବୁଲେଇ ସୁଦ୍ଧା ସେ ଜାଣିପାରିଲା ଯେ ମୁ ଆସିଛି। କୁହ ଟେଲିପାଥି ଅବା ଯାଦୁ ଟୋନା, ମୋତେ ଲାଗୁଚି ସେ ମଧ୍ୟ ଜାଣିଛି ଯେ ମୋର ଟା ସହ କିଛି ଜରୁରୀ କଥା ଅଛି। ମୁଁ ଆଉ ନିଃଶ୍ୱାସ ନଷ୍ଟ ନ କରି ତାକୁ କୁହେ " କିଛି ପଚାରିବି?"
ସେ କିଛି ନ କହି ମୁଣ୍ଡ ହଲେଇ ହଁ କରେ।
" ଏମିତି କାହିଁକି ହୁଏ? ଯାହା ସହ ଗୋଟିଏ ସେକେଣ୍ଡ ମଧ୍ୟ ଅସହ୍ୟନୀୟ, ସେ ପର ମୁହୂର୍ତ୍ତରେ ଆମର ନିଃଶ୍ୱାସ ପାଲଟି ଯାଏ।ଯାହାର ବନ୍ଧୁତ୍ୱ, ବୈରତ୍ଵ ରୁ ବି ପରେ, ଆମ ଜୀବନରେ ତାର ଅସ୍ତିତ୍ବ ରହିବା ମଧ୍ୟ ଭୁଲ, ତା ବିନା ଜୀବନର ମାନେ ହିଁ କିଛି ରୁହେନା। କାହିଁକି ତା ସହ ସବୁ ଲୋଭନୀୟ ଲାଗେ, ବଞ୍ଚିବାକୁ ଇଚ୍ଛା ହୁଏ ଆଉ ଜୀବନ ପ୍ରତି ମୋହ ଆସେ, ଆଉ ସେ ନଥିଲେ ସବୁ ବିରସ, ନିର୍ଜୀବ, ଓ ଖାଁ ଖାଁ ଲାଗେ। ଯାହାର ଛାଇ ଠାରୁ ବି ଆମେ କୋଷ କୋଷ ଦୂରରେ ରହିବା ଦରକାର, ତାକୁ କୁଣ୍ଢେଇ ଜାବୁଡ଼ି ଧରି, ଏଇ ଦୁନିଆ ଠୁଁ ଲୁଚେଇ ସ୍ୱାର୍ଥି ହେଇପଡୁ। ତା ଭିତରେ ନିଜକୁ ହଜେଇ ଟା ଓଠର ହସରେ ଖୁସି ଆଉ ଆଖି ଲୁହରେ ନିଜକୁ ଭିଜେଇ ଦଉ। ତା' ଠୁଁ ଯଦି କିଏ କାଣିଚାଏ ବାଣ୍ଟି ନେଲା ତ ଇର୍ଷାଳୁ ଆଉ ଛଡେଇ ନେଲା ତ..."
" ଶବ। ଜିଅନ୍ତା ଶବ ପାଲଟିଯାଉ।" ମୋ ପାଇଁ ଏଇ କଥା ପଦକ କ୍ୱିଲନ ଶେଷ କରେ। ସମୁଦ୍ର ଠୁଁ ଆଖି ଫେରେଇ ମୁଁ କ୍ୱିଲନ ଆଡେ ଦେଖେ ତ ସେ ମୋତେ ନିର୍ବିକାର ଭାବେ ଅପଲକ ଆଖିରେ ଚାହିଁଛି। ଯେମିତି ମୋ ମୁହଁ କୁ ଦେଖି ପ୍ରାଞ୍ଜଳ ଭାବେ ପଢି ପାରୁଛି ମୋ ମନର କଥା। ମୋ ମୁହଁରୁ ଆଖି ଫେରେଇ ସେ ପୁଣି ଥରେ ସମୁଦ୍ରକୁ ଚାହିଁ ଦୀର୍ଘ ନିଃଶ୍ୱାସ ନେଇ କୁହେ
" ସବୁ କାହିଁକି ର ଉତ୍ତର ନା ଥାଏ ଯିଭା।" ସବୁବେଳେ ଯିଭାଙ୍କା ଡାକୁଥିବା ଲୋକଟାର ଆଜି ପ୍ରଥମ କରି ଯିଭା ଡାକରେ ମୁଁ ଆଶ୍ଚର୍ଯ୍ୟ। ଆଉ କେହି ହେଇଥିଲେ ଅଲଗା କଥା , କିନ୍ତୁ ଏଇଠି କ୍ୱିଲନ କଥା ପଡ଼ିଛି।
" କିନ୍ତୁ ତୁମ କାହିଁକି ର ଉତ୍ତର ହେଉଛି ତୁମ ଛାତିରେ ଧକ୍ ଧକ କରୁଥିବା ହୃଦୟ ଟା। ମନ ଭୁଲ ଠିକ୍ ବିଚାର କରେନି, ବିପଦ ଆଶଙ୍କା ବୁଝେନି, ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରେନି, କି ଡର ଭୟରେ ଲୁଚି ଯାଏନି ବରଂ ଏଇ ସବୁ ସାମ୍ନାକୁ ଆସିବା ମାତ୍ରେ ଜୋର୍ ଜୋର୍ ଛାତିଭିତରେ ପିଟି ହେଇ ବାହାରକୁ ଆସି ଜଣେଇ ଦବାକୁ ଚାହେଁ ଯେ, ସେ କେବଳ ଜାଣେ ଭଲ ପାଇବା, ଚିହ୍ନେ ଭାବ ପ୍ରବଣତା କୁ ଆଉ ନିଜର କରେ ସେଇ ଲୋକଟିକୁ ଯିଏ ତୁମଠୁ ଶହେ କୋଷ ଦୂରରେ ଥିଲେ ମଧ୍ୟ, ପ୍ରତି ମୁହୂର୍ତ୍ତରେ ତାର ସ୍ମୃତି, ଟା ବାସ୍ନା, ତାର ଭଲ ପାଇବା ଆଉ ତାର ତୁମ ପାଖେ ପାଖେ ରହିବାର ଆଭାସ ତୁମର ପ୍ରତିଟି କୋଣ ଅନୁକୋଣରେ ଛାପ ଛାଡ଼ି ଯାଇଛି। "
ମୁଁ ତାଳି ମାରି ତାକୁ ସାବାସି ଦେଇ କୁହେ
" ୱାଓ! ଫିଲୋସଫିକାଲ୍ କଥା ତ ବେଶ୍ କହୁଛ। ତୁମର ଏଇ ରୋମିଓ ରୂପ ଟା ସିଏନା ଦେଖିଛି ନା ନାହିଁ?"
ସିଏନାର ନାଁ ଶୁଣି କ୍ୱିଲନ ମୁହଁ ରେ ଚମକ୍ ଆସିଯାଏ। କିନ୍ତୁ ସେ ହସେନି ଆଉ ନା ହିଁ କିଛି ମନ୍ତବ୍ୟ ଦିଏ। ଓଲଟି କଥା ବଦଳେଇ କୁହେ
" ପେନ ଖରାପ ମଣିଷ ନୁହେଁ, ଯିଭା। କିନ୍ତୁ ରାଗ ଉପରେ ତାର ନିୟନ୍ତ୍ରଣ ନାହିଁ। "
ପେନ୍ କୁହେ ଯେ କ୍ୱିଲନ ବହୁତ୍ ରହସ୍ୟମୟୀ। ସମସ୍ତେ କୁହନ୍ତି ନାରୀ ମାୟା ନାରାୟଣଙ୍କୁ ଅଗୋଚର, କିନ୍ତୁ କ୍ୱିଲନ ମିଛ ଆଉ ଛଳନାର ବିଛଣାରେ ନିଦ୍ରା ବିଷ୍ଣୁ। ଶକୁନି ଆଉ କୃଷ୍ଣ ଙ୍କର ମିଶାମିଶି ଫେଣ୍ଟଣ। ତା ବିଷୟରେ ଯେତେ ନ ଜାଣିବ ସେତେ ଭଲ, କାରଣ ଜାଣିବା ଲୋକ କେହି ଏଇ ଦୁନିଆରେ ନାହାନ୍ତି।
" ମହାଭାରତ ପଢ଼ିଛ କେବେ? କର୍ଣଙ୍କ ବିଷୟରେ ପଢ଼ିଥିବ ନିଶ୍ଚୟ।
Comments
Post a Comment